ମଣିପୁର ହିଂସା: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
ପ୍ରଧାନମନ୍ତ୍ରୀ ବୈଠକରେ ମଣିପୁରର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା କରିଥିଲେ
ଓଏଲ୍ ବ୍ୟୁରୋ: ମଣିପୁରରେ ଜାତିଗତ ହିଂସାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ। ମଣିପୁରରେ ଗତ ୫୩ ଦିନ ଧରି ହିଂସା ଲାଗିରହିଛି। ଏହାରି ମଧ୍ୟରେ ଆମେରିକା ଏବଂ ଇଜିପ୍ଟ ଗସ୍ତରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିଏମ ମୋଦି ଫେରିବା ପରେ ମଣିପୁର ହିଂସାକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ସୋମବାର ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ବୈଠକରେ ମଣିପୁରର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା କରିଥିଲେ।
ଖବର ଅନୁସାରେ, ମଣିପୁର ହିଂସାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ସହ ସେମାନଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ସୂଚନା ରହିଛି। ସେହିଭଳି ହିଂସା ଯୋଗୁଁ ଅତ୍ୟାବଶକୀୟ ସାମଗ୍ରୀର ଦାମ ଯେଭଳି ଭାବେ ବୃଦ୍ଧି ପାଉଛି ତା ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ପେଟ୍ରୋଲ, ଏଲପିଜି, ଚାଉଳ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ପୂର୍ବରୁ କହିଥିଲେ।