ରଘୁନାଥଜୀଉ ବେଶରେ ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି, ଦର୍ଶନ ପାଇଁ କେନ୍ଦ୍ରାପଡ଼ାରେ ଭକ୍ତଙ୍କ ଗହଳି
ସାଧାରଣତଃ ଏହି ବେଶକୁ ଭୂଷଣ ଶୃଙ୍ଗାର ରୂପେ ଅଭିହିତ କରାଯାଇଥାଏ
ଓଏଲ୍ ବ୍ୟୁରୋ: ରଘୁନାଥଜୀଉ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ରଥାରୁଢ ମଣିମା ଶ୍ରୀ ସିଦ୍ଧ ବଳଦେବଜୀଉ। କେନ୍ଦ୍ରାପଡ଼ା ରଥ ଦାଣ୍ଡରେ ଭକ୍ତଙ୍କ ଗହଳି। ରଘୁନାଥ ବେଶ ଏକ ରାଜକୀୟ ବେଶ ହୋଇଥିବାରୁ ଏବଂ ଏହି ବେଶରେ ଅନେକ ସୁବର୍ଣ୍ଣ, ରୌପ୍ୟ, ରତ୍ନ, ମଣି ମାଣିକ୍ୟାଦିରେ ନିର୍ମିତ ଅଳଙ୍କାର ବ୍ୟବହାର ହୋଇଥାଏ। ସାଧାରଣତଃ ଏହି ବେଶକୁ ଭୂଷଣ ଶୃଙ୍ଗାର ରୂପେ ଅଭିହିତ କରାଯାଇଥାଏ।
କିମ୍ବଦନ୍ତୀ ଅନୁସାରେ, ରଘୁନାଥ ବେଶରେ ଶ୍ରୀଜଗନ୍ନାଥ ରାମ ରୂପରେ କାଷ୍ଠ ନିର୍ମିତ ହସ୍ତ ପଦ ଯୁକ୍ତ ହୋଇଥାନ୍ତି। ବାମ ପାଦଟି ସିଂହାସନ ଉପରେ ଓ ଦକ୍ଷିଣ ପାଦଟି ତଳକୁ ଲମ୍ବି ରହିଥାଏ। ଧନୁ-ତୂଣୀର ଧାରଣ ସହ ସିଂହାସନରେ ବୀରାସନରେ ବସିଥାନ୍ତି। ଲକ୍ଷ୍ମୀ ପ୍ରତିମା ସୀତା ରୂପେ କୋଳରେ ସ୍ଥାନ ପାଇଥାନ୍ତି। ବଳଭଦ୍ର ଲକ୍ଷ୍ମଣ ରୂପେ ଧନୁପାଦ ଛନ୍ଦରେ ଦଣ୍ଡାୟମାନ ହୋଇ ହସ୍ତ ପଦ ଯୁକ୍ତ ହୋଇ ଦୁଇ ହସ୍ତରେ ଜଗନ୍ନାଥଙ୍କ ମସ୍ତକକୁ ଲମ୍ବି ଯାଇଥିବା ଛତ୍ରକୁ ଧରିଥାନ୍ତି। ଜଗନ୍ନାଥ-ରାମଙ୍କ ବାମ ପାର୍ଶ୍ୱରେ ଶତ୍ରୁଘ୍ନ, ଭରତ, ବଳଭଦ୍ର (ଲକ୍ଷ୍ମଣ)ଙ୍କ ଦକ୍ଷିଣରେ ବ୍ରହ୍ମା, ବଶିଷ୍ଠ ଇତ୍ୟାଦି ଋଷିମାନେ ଦଣ୍ଡାୟମାନ ହୋଇଥାନ୍ତି। ଅଙ୍ଗଦ ଚାମର ଧରି, ଜାମ୍ବବାନ କରଯୋଡି, ବିଭୀଷଣ କରଯୋଡି, ହନୁମାନ କରଯୋଡି ବସିଥାନ୍ତି।
ଯେଉଁ ବର୍ଷ ବୈଶାଖ ଶୁକ୍ଳ ନବମୀ ଗୁରୁବାର ଶ୍ରବଣା ମକର ପଡ଼ିଥାଏ ସେହି ବର୍ଷ ଶ୍ରୀଜଗନ୍ନାଥଙ୍କର ରଘୁନାଥ ବେଶ ହୋଇଥାଏ। ୧୯୦୫ ସାଲ ଅପ୍ରେଲ ମାସ ୨୬ ତାରିଖ ଗୁରୁବାର ଦିନ ଶେଷ ଥର ନିମନ୍ତେ ରଘୁନାଥ ବେଶ ହୋଇଥିବାର ଉତ୍କଳ ଦୀପିକା ପତ୍ରିକାରେ ଯାହା ପ୍ରକାଶ ପାଇଛି ଓ ଶ୍ରୀମନ୍ଦିର ରେକର୍ଡରୁ ଜଣାଯାଇଛି। ୨ୟ ଥର ପ୍ରଚେଷ୍ଟା ବୈଠକ ଆଲୋଚନା ୧୯୮୩ରେ ଏଥିପାଇଁ ହୋଇ ବିଫଳ ହୋଇଛି। ଆଉ ରଘୁନାଥ ବେଶ ଭକ୍ତମାନେ ଦେଖି ପାରି ନାହାନ୍ତି। ମିଳୁଥିବା ତଥ୍ୟ ଅନୁଯାୟୀ ମୋଟ ୯ ଥର ରଘୁନାଥ ବେଶ ହୋଇଛି ଏବଂ ୧୯୦୫ ମସିହା ପରଠାରୁ ଶ୍ରୀମନ୍ଦିରରେ ଆଉ ଏହି ବେଶ ହୋଇନାହିଁ।