ଧର୍ମେନ୍ଦ୍ର କହିଲେ-ଭକ୍ତଙ୍କ ପାଇଁ ସବୁ ଦ୍ୱାର ଖୋଲିଦିଅ; ପ୍ରମିଳା ଦେଲେ ଜବାବ
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା ପ୍ରସଙ୍ଗକୁ ନେଇ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ଏସବୁ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀମନ୍ଦିର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ହାକିମାତି ନଦେଖାଉ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ସବୁଦ୍ୱାର ଖୋଲି ଦିଆଯାଉ। ଭକ୍ତମାନେ ସ୍ୱଚ୍ଛନ୍ଦରେ ୪ ଦ୍ୱାର ଦେଇ ଜଗା ଦର୍ଶନ କରନ୍ତୁ। ସେହିପରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମଧ୍ୟ ସମାନ ଦାବି ରଖିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମହାପ୍ରଭୁଙ୍କ ସହ କୋଟି କୋଟି ଭକ୍ତମାନଙ୍କ ପ୍ରତ୍ୟକ୍ଷ ଭାବାବେଗ ଯୋଡି ହୋଇରହିଛି। ପୁରୀର ଅଧିବାସୀ ତଥା ବୟୋଜ୍ୟୋଷ୍ଠ, ମାଆ ଓ ନାଗରିକଙ୍କ ସହ ଜଗା ସାଙ୍ଗରେ ନିତିଦିନିଆ ସମ୍ପର୍କ ରହିଛି। ଏଥିପାଇଁ ହଜାର ହଜାର ବର୍ଷ ପୂର୍ବରୁ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବରେ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଚାରି ଦ୍ୱାର ଦର୍ଶନର ବ୍ୟବସ୍ଥା କରାଯାଇଥିଲା। ତେଣୁ ଶ୍ରୀମନ୍ଦିରର ଚାରିଦ୍ୱାରକୁ ଖୋଲାଯିବା ନିତାନ୍ତ ଜରୁରୀ। ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରସଙ୍ଗରେ ସମ୍ବେଦନଶୀଳ ହୋଇ ସମସ୍ତଙ୍କ ସହ ଆଲୋଚନା କରି ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ପାଇଁ ପଦକ୍ଷେପ ନିଅନ୍ତୁ। ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଧକତା ସୃଷ୍ଟି କରାନଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ୪ ଦ୍ୱାର ଦେଇ ଭକ୍ତ ସ୍ୱଚ୍ଛନ୍ଦରେ ଶ୍ରୀମନ୍ଦିର ଯାଇପାରିବା ନେଇ ଜନମତ ସୃଷ୍ଟି ହୋଇଛି। ସମସ୍ତେ ଏନେଇ ଦାବି କରୁଛନ୍ତି। ଲୋକଙ୍କ ପ୍ରତିବାଦକୁ ଦେଖି ଓ ଜନମତକୁ ଗ୍ରହଣ କରି ନିଶ୍ଚୟ ସରକାରଙ୍କ ଜ୍ଞାନ ଉଦୟ ହେବ ବୋଲି ଆଶା ରହିଛି। କାରଣ ଜନମତକୁ ସମସ୍ତେ ସମ୍ମାନ ଦେବା କଥା।
ଅନ୍ୟପଟେ ଧର୍ମେନ୍ଦ୍ର ଓ ନରସିଂହ ମିଶ୍ରଙ୍କ ମତାମତକୁ ବିରୋଧ କରିଛନ୍ତି ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ଏବେ ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ଖାଲଖମା ହୋଇଛି। ସେଥିପାଇଁ ଶ୍ରୀମନ୍ଦିର ୪ ଦ୍ୱାର ପ୍ରବେଶ ନିମନ୍ତେ ଖୋଲା ହୋଇନି। ଯଦି ଭକ୍ତ ମାନେ ୪ ଦ୍ୱାର ଦେଇ ଯିବେ ତେବେ ଆହତ ହେବାର ଆଶଙ୍କା ରହିଛି। ତେଣୁ ସଠିକ ସମୟ ଆସିଲେ ୪ ଦ୍ୱାର ଖୋଲାଯିବ। ରାଜ୍ୟ ସରକାର କୌଣସି ଥିରେ ପ୍ରତିବନ୍ଧକ ହୋଇନାହାନ୍ତି।ଜାଣିଶୁଣି ସରକାର ଭକ୍ତଙ୍କ ନିମନ୍ତେ ୪ ଦ୍ୱାର ପ୍ରବେଶ ବନ୍ଦ କରିନାହାନ୍ତି। ଯେତେବେଳେ ଆବଶ୍ୟକ ହେବ ନିଶ୍ଚିତ ପକ୍ଷେ ଖୋଲାଯିବ।