ଖୁବଶୀଘ୍ର ଖୋଲିବ ମାର୍କେଟ ବିଲ୍ଡିଂ! ଆନ୍ଦୋଳନକୁ ନେଇ ବିଏମ୍ସି କମିଶନରଙ୍କ ସୂଚନା
ଷ୍ଟ୍ରିଟ୍ ଭେଣ୍ଡର ଆଇନ ଅନୁସାରେ ଉଠା ଦୋକାନୀଙ୍କୁ ଥଇଥାନ କରାଯିବ।

ଓଏଲ୍ ବ୍ୟୁରୋ: ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ମାର୍କେଟ ବିଲ୍ଡିଂକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଖୁବଶୀଘ୍ର ଖୋଲିଯାଇପାରେ ମାର୍କେଟ ବିଲ୍ଡିଂ। ସ୍ଥାୟୀ ଏବଂ ଅସ୍ଥାୟୀ ବ୍ୟବସାୟୀ ସଂଘର ଲାଗିରହିଥିବା ବିବାଦକୁ ନେଇ ବିଏମ୍ସି କମିଶନର ସୂଚନା ଦେଇଛନ୍ତି ଯେ, ଦୁଇରୁ ତିନି ଦିନ ମଧ୍ୟରେ ବିବାଦର ସମାଧାନ ହେବ। ଉଠା ଦୋକାନୀଙ୍କୁ ଥଇଥାନ କରିବା ପାଇଁ ଜିଏ ବିଭାଗ ସହ କଥାହୋଇ ଟିମ୍ ଜାଗା ଚିହ୍ନଟ କାମରେ ଲାଗିଛନ୍ତି। ଷ୍ଟ୍ରିଟ୍ ଭେଣ୍ଡର ଆଇନ ଅନୁସାରେ ଉଠା ଦୋକାନୀଙ୍କୁ ଥଇଥାନ କରାଯିବ। ପରେ ଦୁଇ ଗୋଷ୍ଠୀ ସହ ଆଲୋଚନା କରାଯିବ ବୋଲି ବିଏମ୍ସି କମିଶନର ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗତ କିଛିଦିନ ହେବ ଜନଗହଳି ପୂର୍ଣ୍ଣ ମାର୍କେଟ ବିଲ୍ଡିଂ ବନ୍ଦ ଥିବା ଦେଖିବାକୁ ମିଳିଛି। ସ୍ଥାୟୀ ଦୋକାନୀ ସଂଘ ପକ୍ଷରୁ ସମାଧାନର ବାଟ ବାହାର କରିବା ପାଇଁ ଆନ୍ଦୋଳନ କରାଯାଉଥିଲା। ସ୍ଥାୟୀ ଦୋକାନୀ ସଂଘ ପକ୍ଷରୁ ରାଜଧାନୀର ସମସ୍ତ ବଜାର କମିଟିର ସଦସ୍ୟଙ୍କୁ ନେଇ ବୈଠକ କରାଯାଇଥିଲା। ସୋମବାର ସୁଦ୍ଧା ବିଏମସି ଯଦି କିଛି ସମାଧାନ ବାହାର ନକରେ, ତାହେଲେ ମଙ୍ଗଳବାର ରାଜଧାନୀର ସମସ୍ତ ଦୋକାନ ବନ୍ଦ ରହିବ ବୋଲି ସ୍ଥାୟୀ ଦୋକାନୀ ସଂଘ ଚେତାବନୀ ଦେଇଥିଲା।