ଆଜି କାର୍ଗିଲ ବିଜୟ ଦିବସ: ବୀର ଯବାନଙ୍କ ସ୍ମୃତିରେ ସଂସଦରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ଓଏଲ୍ ବ୍ୟୁରୋ: ଆଜି କାର୍ଗିଲ ବିଜୟ ଦିବସ। କାର୍ଗିଲ ବିଜୟକୁ ଆଜି ପୁରିଛି ୨୪ ବର୍ଷ। ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ ୨୪ତମ କାରଗିଲ ବିଜୟ ଦିବସକୁ ପାଳୁଛନ୍ତି ସାରା ଦେଶବାସୀ। ଏହି ଅବସରରେ କାର୍ଗିଲ ଯୁଦ୍ଧରେ ନିଜ ଜୀବନକୁ ବଳି ଦେଇଥିବା ବୀର ଯବାନ ମାନଙ୍କ ସ୍ମୃତିରେ ସଂସଦର ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସୂଚନା ଅନୁସାରେ, ୧୯୯୯ ଜୁଲାଇ ୨୬ରେ ପାକ ବିରୋଧରେ ଯୁଦ୍ଧରେ ଜିତିଥିଲା ଭାରତ। ‘ଅପରେସନ ବିଜୟ’ ଅଭିଯାନରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତରୁ ବିତାଡିତ କରିବାରେ ଭାରତୀୟ ସେନା ସଫଳ ହୋଇଥିଲେ। ଏହି ବିଜୟ ଓ ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ସ୍ମୃତିରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯ ମସିହା ଆଜିର ଦିନରେ ଭାରତ ସଫଳତାର ସହ ପାକିସ୍ତାନୀ ସୈନ୍ୟମାନଙ୍କ ହାତରୁ ଭାରତର ଏହି ସର୍ବୋଚ୍ଚ ଘାଟିକୁ ନିଜ ଅକ୍ତିଆରକୁ ଆଣିଥିଲା।
ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି। ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କାଶ୍ମୀରର କାର୍ଗିଲ ଅଂଚଳରେ ପ୍ରବେଶ କରିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି।