ମୋଦି ସରନେମ ମାମଲା: ରାହୁଲ ଗାନ୍ଧୀଙ୍କୁ ଆଶ୍ବସ୍ତି
ଓଏଲ୍ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ବସ୍ତି। ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଆଶ୍ବସ୍ତି। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଗୁଜରାଟ ହାଇକୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ।
ସୂଚନା ଅନୁସାରେ, ସବୁ ଚୋର କାହିଁକି ମୋଦି ସାଙ୍ଗିଆ ବହନ କରିଛନ୍ତି ବୋଲି ୨୦୧୯ ଏପ୍ରିଲ୍ରେ ରାଜନୈତିକ ପ୍ରଚାର ଅଭିଯାନ ବେଳେ ରାହୁଲ୍ ଗାନ୍ଧୀ ମନ୍ତବ୍ୟ ଦେଇଥିଲେ। ତେବେ ଏହି ମାନହାନି ମାମଲାକୁ ନେଇ କୋର୍ଟରେ କେଶ ଦାଏର ହୋଇଥିଲା। ଉପରୋକ୍ତ ମନ୍ତବ୍ୟ ଦେଇଥିବାରୁ ରାହୁଲ୍ଙ୍କ ନାଁରେ ‘ବିଜେପି’ ବିଧାୟକ ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଅଭିଯୋଗ ଦାଏର କରିଥିଲେ।
ଏହି ମନ୍ତବ୍ୟ ସମଗ୍ର ମୋଦୀ ସମ୍ପ୍ରଦାୟର ମାନହାନି କରିଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର୍ଠାରେ ଆୟୋଜିତ ରାଲିରେ ଉଦ୍ବୋଧନ ଦେବା ବେଳେ ରାହୁଲ୍ ଗାନ୍ଧୀ ‘ମୋଦୀ’ ସାଙ୍ଗିଆକୁ ବିଦ୍ରୂପ କରି ଏଭଳି ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ।
ଉପରୋକ୍ତ ମାମଲାର ଶୁଣାଣି କରି ଗୁଜରାଟର ସୁରତ ଜିଲ୍ଲାସ୍ଥିତ ଏକ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡାଦେଶ ଦେଇଥିଲେ। ପରେ କଂଗ୍ରେସର ସାଂସଦ ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଥିଲା। କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ ହୋଇଥିବା ସୂଚନା ମିଳିଥିଲା।