ପାଣ୍ଡିଆନଙ୍କ ନକଲି ଆକାଉଣ୍ଟ ସସ୍ପେଣ୍ଡ
କାଳିମାଡ଼ ଘଟଣା ପରେ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ନାମକ ଏକ ଟ୍ବିଟର ଆକାଉଣ୍ଟରୁ ଏକ ଟ୍ବିଟ୍ ହୋଇଥିଲା।

ଓଏଲ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ଶନିବାର ଦିନ କାଳିମାଡ଼ ହୋଇଥିଲା। ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା। ତାଠୁ ବେଶି ଚର୍ଚ୍ଚାର ବିଷୟ ପାଲଟିଥିଲା ଏକ ଟ୍ବିଟ୍। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିଲା। କାଳିମାଡ଼ ଘଟଣା ପରେ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ନାମକ ଏକ ଟ୍ବିଟର ଆକାଉଣ୍ଟରୁ ଏକ ଟ୍ବିଟ୍ ହୋଇଥିଲା। ଯାହା ଖୁବ ଅଳ୍ପ ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା। ତେବେ ସେହି ଟ୍ବିଟର ଆକାଉଣ୍ଟଟି ଏକ ନକଲି ଆକାଉଣ୍ଟ ବୋଲି ଜଣାପଡ଼ିଛି। ଏଥିସହିତ ଟ୍ବିଟର ସେହି ନକଲି ଆକାଉଣ୍ଟଟିକୁ ସସ୍ପେଣ୍ଟ କରିଦେଇଥିବା ଜଣାପଡ଼ିଛି।
ଶନିବାର ଦିନ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ଘଟଣା ଖବର ସିରୋନାମା ପାଲଟିଯାଇଥିଲା। ନେତାଙ୍କଠୁ ଆରମ୍ଭ କରି ଜନତା ସମସ୍ତେ ଏହି ପ୍ରସଙ୍ଗରେ ସୋସିଆଲ ମିିଡିଆରେ ନିଜ ନିଜ ମତ ରଖିଥିଲେ। ତେବେ କାଳିମାଡ଼ ଘଟଣାର କିଛି ଘଣ୍ଟା ପରେ ଭି କାର୍ତ୍ତିକେୟନ ପାଣ୍ଡିଆନ ନାମକ ଏକ ନକଲି ଟ୍ବିଟର ଆକାଉଣ୍ଟରେ କିଛି ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଲେଖାଥିଲା ଯେ କିଛି ପରିବର୍ତ୍ତନ କରିବାକୁ ହେଲେ ଅନେକ ସମସ୍ୟା ଅନେକ ବାଧାବିଘ୍ନ ଦେଖାଦେବ, କିନ୍ତୁ ତାହାକୁ ଅଣଦେଖା କରି ଆଗକୁ ବଢ଼ିବାକୁ ପଡ଼ିବ। ଯେତେବେଳେ ପରିବର୍ତ୍ତନ ଆସିବ ତେବେ ଏକ ନୂଆ ପରିଚୟ ସୃଷ୍ଟି ହେବ। ଜୟ ଜଗନ୍ନାଥ ବୋଲି ଉଲ୍ଲେଖ ରହିଥିଲା। ଯାହା ପ୍ରବଳ ମାତ୍ରାରେ ଭାଇରାଲ ହୋଇଥିଲା। ଏଭଳିକି ଏହି ଟ୍ବିଟ୍କୂୁ ନେଇ ଖବର ମଧ୍ୟ ପରିବେଶଣ ହୋଇଥିଲା। ପରେ ଏହି ଆକାଉଣ୍ଟଟି ନକଲି ବୋଲି ଜଣାପଡ଼ିଥିଲା।
୫ଟି ସଚିବ ଭି କେ ପାଣ୍ଡିଆନଙ୍କର କେବଳ ଇନ୍ଷ୍ଟାଗ୍ରାମରେ ଭେରିଫାଏଡ ବ୍ଲୁ ଟିକ୍ ଆକାଉଣ୍ଟ ଅଛି। ଆଉ କୌଣସି ସୋସିଆଲ ମିଡିଆ ଆକାଉଣ୍ଟ ନଥିବା ଜଣାପଡ଼ିଛି। ନିକଟରେ ସୁରେନ୍ଦ୍ର ବାରିକ ନାମକ ଜଣେ ବ୍ୟକ୍ତି ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ନାମରେ ହୋଇଥିବା ନକଲି ଟ୍ବିଟର ଆକାଉଣ୍ଟକୁ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବି ସେହି ଟ୍ବିଟର ହ୍ୟାଣ୍ଡଲ ଉପରେ କୌଣସି କାର୍ଯାନୁଷ୍ଠାନ ନିଆଯାଇନଥିଲା। ତେବେ କାଳିମାଡ଼ ଘଟଣା ପରେ ଏବେ ଟ୍ବିଟର ପକ୍ଷରୁ ସେହି ହ୍ୟାଣ୍ଡଲକୁ ସସ୍ପେଣ୍ଡ କରି ଦିଆଯାଇଛି।