ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ
![](https://www.odishalink.com/wp-content/uploads/2023/08/Bay-Of-Bengal.jpg)
ଓଏଲ୍ ବ୍ୟୁରୋ: ସପ୍ତାହେ ହେଲାଣି ରାଜ୍ୟରେ ତାତି ବଢ଼ିବାରେ ଲାଗିଲାଣି। ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ଯୋଗୁ କିଛିଦିନ ହେବ ରାଜ୍ୟରେ ବର୍ଷା ଉଭାନ୍ ହୋଇଯାଇଛି। ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ପାଣିପାଗ ବିଭାଗ ଆଣିଦେଇଛି ଭଲ ଖବର।
ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ଭାରି ବର୍ଷା ସମ୍ଭାବନା ରହିଛି। ତେବେ ୩ ଓ ୪ ତାରିଖରେ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଯାହା ଚାଷୀକୂଳ ମୁହଁରେ ହସ ଆଣି ଦେଇଛି।
ବଙ୍ଗୋପସାଗର ରେ #ଘୂର୍ଣ୍ଣିବଳୟ ସକ୍ରିୟ !!#୨ତାରିଖ ଠାରୁ ରାଜ୍ୟର କିଛି ଅଞ୍ଚଳରେ ଭାରି ବର୍ଷା ସମ୍ଭାବନା ଥିବାବେଳେ ##୩ସେପ୍ଟେମ୍ବର ରେ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା
— Meteorological Centre, Bhubaneswar (@mcbbsr) August 30, 2023
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ସେପ୍ଟେମ୍ୱର ୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଦେବଗଡ଼,ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୩ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।