ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ଶିକ୍ଷାଦାନ, ମୁଖ୍ୟମନ୍ତ୍ରୀ କରିଥିଲେ ଲୋକାର୍ପଣ
ଓଏଲ୍ ବ୍ୟୁରୋ: ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି। ଓଡ଼ିଆ ବିଶ୍ୱବିଦ୍ୟାଳୟର ବିଲଡିଂ କାମ ସରିନଥିବାରୁ ସାକ୍ଷୀଗୋପାଳ ସ୍ଥିତ ପାନ୍ଥଶାଳାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦିଆଯାଉଛି। ଆସନ୍ତକାଲିଠୁ ଆନୁଷ୍ଠାନିକ ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବାବେଳେ ଗୁରୁଦିବସରେ ଏହାକୁ ଉଦ୍ଘାଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଯୋଗଦେଇ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଭାସୀ (ଭର୍ଚୁଆଲ) ମାଧ୍ୟମରେ ଉଦ୍ଘାଟନ କରିଥିଲେ। ଭିଡିଓ ବାର୍ତ୍ତା ଯୋଗେ ମଧ୍ୟ ସମାରୋହକୁ ଉଦ୍ବୋଧନ କରିଥିଲେ। ଓଡ଼ିଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ କାର୍ଯ୍ୟ ଶେଷ ହୋଇ ନଥିବାରୁ ଅସ୍ଥାୟୀ ଭାବେ ସ୍ଥାନୀୟ ପାନ୍ଥନିବାସରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ଓ ପିଲାଙ୍କ ପାଠପଢ଼଼ା ଆରମ୍ଭ ହୋଇଛି। ସେହିପରି ହଷ୍ଟେଲ ପାଇଁ ମଧ୍ୟ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ସମସ୍ତ ବନ୍ଦୋବସ୍ତ କରାଯାଇଛି।
ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାୟୋଗିକ ଭାଷା ଏବଂ ଆଞ୍ଚଳିକ, ଆଦିବାସୀ ଭାଷା ଓ ଐତିହ୍ୟ ଆଦି ତିନିଟି ବିଭାଗରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ୨୪ ଲେଖାଏଁ ସିଟରେ ମୋଟ୍ ୭୨ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ ଶିକ୍ଷକମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ନିଯୁକ୍ତି ପ୍ରଦାନ କରିଛି। ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିଭିନ୍ନ ବର୍ଗର ପ୍ରାଧ୍ୟାପକଙ୍କୁ ବିଶ୍ୱବିଦ୍ୟାଳୟକୁ ବଦଳି କରାଯାଇଛି।