ଦଳୀୟ ପଦ ହରାଇଲେ ସୌମ୍ୟ ପଟ୍ଟନାୟକ
ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କରିଥିବା ବେଳେ ରାଜ୍ୟ ରାଜନୀତିର ଅଙ୍କ ସବୁ ଏବେ ବିଗିଡ଼ିବାରେ ଲାଗିଛି। କାରଣ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଏହାରି ମଧ୍ୟରେ ସୌମ୍ୟ ପଟ୍ଟନାୟକ ନିଜର ଦଳୀୟ ପଦ ହରାଇଥିବା ଜଣା ପଡିଛି। ବିଜେଡିର ଉପସଭାପତି ପଦରୁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହଟାଇଛନ୍ତି।
ସୂଚନା ଅନୁସାରେ, ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟ ପ୍ରକାଶ ପାଇବା ପରେ ଚର୍ଚ୍ଚା ବଢ଼ିବାରେ ଲାଗିଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି। ଏହା ପରେ ସୌମ୍ୟ ପଟ୍ଟନାୟକ ନିଜର ବୟାନ ରଖି କହିଥିଲେ ଯେ, ମୁଁ ବିଜେଡିରେ ରହି ଗର୍ବ ଅନୁଭବ କରେ। ମୋର ଦଳ ଛାଡିବାର ନାହିଁ। ମତ କଣ ବଦଳେ ନାହିଁ, ତେବେ ଦଳ ବଦଳାଇବାରେ ଅସ୍ୱାଭାବିକତା କେଉଁଠି? ବିଜେଡିରେ ଯେଉଁମାନେ ଅଛନ୍ତି ସେମାନେ କଣ କଂଗ୍ରେସରୁ ଆସିନାହାନ୍ତି କି? ସେମାନେ କଣ ଦଳ ବଦଳାଇ ନାହାନ୍ତି? ମନ୍ତ୍ରୀଙ୍କ ପରାମର୍ଶ କ’ଣ ବେଦର ଗାର ବୋଲି କହିଥିଲେ।