ବାଚସ୍ପତି ନିର୍ବାଚନ: ଆଜି ନାମାଙ୍କନ ଭରିବେ ପ୍ରମିଳା

ଓଏଲ୍ ବ୍ୟୁରୋ: ୨୨ ତାରିଖରେ ହେବ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ। ଗତକାଲି ଶାସକ ଦଳ ବିିଜେଡି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଥିଲା। ଏଥିପାଇଁ ଆଜି ବାଚସ୍ପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ।
ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ବିଧାନସଭାର ବାଚସ୍ପତି ପଦ। ବିଜେଡି ଉପସଭାନେତ୍ରୀ ଶ୍ରୀମତୀ ମଲ୍ଲିକ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ଓ ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ସେ ନିଦ୍ୱନ୍ଦ୍ୱରେ ବାଚସ୍ପତି ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି। ଆଉ ତାଙ୍କର ବିଜୟ ସହ ସେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବାର ଗୌରବ ମଧ୍ୟ ଲାଭ କରିବେ। ଗତ ଜୁନ୍ ୩ ତାରିଖରେ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠୁ ବାଚସ୍ପତି ପଦ ଖାଲି ପଡ଼ିଛି।
ସୂଚନା ଅନୁସାରେ, ଆସନ୍ତାକାଲି ପୂର୍ବାହ୍ନରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ସହ ବାଚସ୍ପତି ନିର୍ବାଚନ ସମ୍ପନ୍ନ ହେବ। ବିଜେଡି ପ୍ରାର୍ଥୀ ଭାବେ ଶ୍ରୀମତୀ ମଲ୍ଳିକ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୦ ମସିହାରୁ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିବା ଶ୍ରୀମତୀ ମଲ୍ଲିକ ପ୍ରଥମ ଥର ପାଇଁ ୧୯୯୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ। ଆସନ୍ତାକାଲି ହିଁ ନିର୍ବାଚନ ପ୍ରକ୍ରିୟା ଶେଷ ସହ ସେ ବାଚସ୍ପତି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି।
ସବୁଠୁ ବଡ଼ କଥା ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦାୟିତ୍ବ ଗ୍ରହଣ କରିବେ। ପ୍ରମିଳା ବାଚସ୍ପତି ହେବା ପରେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ।