ବିଜେଡିରୁ ବିଦା ହେଲେ ୨ ବିଧାୟକ
ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କରିଥିବା ବେଳେ ରାଜ୍ୟ ରାଜନୀତିର ଅଙ୍କ ସବୁ ଏବେ ବିଗିଡ଼ିବାରେ ଲାଗିଛି। କାରଣ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଏହାରି ମଧ୍ୟରେ ସୌମ୍ୟ ପଟ୍ଟନାୟକ ନିଜର ଦଳୀୟ ପଦ ହରାଇଥିବା ଜଣା ପଡିଥିଲା। ବିଜେଡିର ଉପସଭାପତି ପଦରୁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହଟାଇଥିବାବେଳେ ବର୍ତ୍ତମାନ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।
ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିରୁ ବହିଷ୍କାର କରିଛନ୍ତି। ତେବେ ତାଙ୍କ ସହ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ମଧ୍ୟ ଦଳରୁ ବହିଷ୍କୃତ ହୋଇଛନ୍ତି। ୨ ବିଧାୟକଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜନ ବିରୋଧୀ କାର୍ଯ୍ୟ ଯୋଗୁଁ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି। ତେବେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନା ଅନୁସାରେ, ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟ ପ୍ରକାଶ ପାଇବା ପରେ ଚର୍ଚ୍ଚା ବଢ଼ିବାରେ ଲାଗିଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି। ଏହା ପରେ ସୌମ୍ୟ ପଟ୍ଟନାୟକ ନିଜର ବୟାନ ରଖି କହିଥିଲେ ଯେ, ମୁଁ ବିଜେଡିରେ ରହି ଗର୍ବ ଅନୁଭବ କରେ। ମୋର ଦଳ ଛାଡିବାର ନାହିଁ। ମତ କଣ ବଦଳେ ନାହିଁ, ତେବେ ଦଳ ବଦଳାଇବାରେ ଅସ୍ୱାଭାବିକତା କେଉଁଠି? ବିଜେଡିରେ ଯେଉଁମାନେ ଅଛନ୍ତି ସେମାନେ କଣ କଂଗ୍ରେସରୁ ଆସିନାହାନ୍ତି କି? ସେମାନେ କଣ ଦଳ ବଦଳାଇ ନାହାନ୍ତି? ମନ୍ତ୍ରୀଙ୍କ ପରାମର୍ଶ କ’ଣ ବେଦର ଗାର ବୋଲି କହିଥିଲେ।