ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ; ଆତ୍ମହତ୍ୟା ରୋକିବାକୁ ପ୍ରୟାସ ଜାରି
ଓଏଲ୍ ବ୍ୟୁରୋ: ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଶିକ୍ଷା ଏବଂ ସଚେତନତା ବଢାଇବା ସହ ଏହା ସହ ଜଡ଼ିତ ସାମାଜିକ ଅପବାଦର ବିଲୋପ କରିବା ଏହାର ଲକ୍ଷ୍ୟ। ପ୍ରତିବର୍ଷ ଭିନ୍ନ ଭିନ୍ନ ଥିମ୍କୁ ନେଇ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷର ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ର ଥିମ ହେଉଛି ‘ମାନସିକ ସ୍ୱାସ୍ଥ୍ୟ ହେଉଛି ଏକ ବିଶ୍ୱବ୍ୟାପୀ ମାନବ ଅଧିକାର’।
ମାନସିକ ସ୍ୱାସ୍ଥ୍ୟକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ମଧ୍ୟ ସାବଧାନ ରହିବାକୁ ସଚେତନତା ଜାରି କରିଛି। ଯଦି ଆପଣ ମାନସିକ ଚାପ ଓ ଅଶାନ୍ତିରେ ରହୁଛନ୍ତି ଏବଂ ଆତ୍ମହତ୍ଯାର ଚିନ୍ତାଧାରା ମନରେ ଆସୁଛି ତାହାଲେ ଯଥାଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଦେୟମୁକ୍ତ ନମ୍ବର ୧୪୪୧୬ ସହିତ ଯୋଗାଯୋଗ କରନ୍ତୁ। ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବାର୍ତ୍ତା ଦିଆଯାଇଛି।
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ସମ୍ବଦ୍ଧିତ କିଛି ସୂଚନା…
ୱାର୍ଲଡ ଫେଡେରେସନ ଫର ମେଣ୍ଟାଲ ହେଲଥ ନାମକ ସଂସ୍ଥାର ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁଁ ମାନସିକ ସ୍ୱାସ୍ଥ୍ୟ ଦିବସ ୧୯୯୨ ମସିହାରେ ପାଳିତ ହେଲା। ଏହି ଦିବସ ପାଳନ ଅବସରରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ତଥା ଏହାର ନିରାକରଣ ନିମିତ୍ତ ବିଶ୍ୱସମୁଦାୟର ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଙ୍କ ମନରେ ସଚେତନତା ସୃଷ୍ଟି କରିବା ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।
୧୯୯୨ରୁ ମାନ୍ୟତା ଲାଭ କରିଆସିଥିବା ଏହି ଦିବସକୁ ବିଶ୍ବର ପ୍ରାୟ ୧୨୦ ଦେଶରେ ପାଳନ କରାଯାଉଛି। ମାନସିକ ଚାପ, ଅସ୍ଥିରତା, ଅବସାଦ ଆଦି ସମ୍ପର୍କିତ ମାନସିକ ସ୍ବାସ୍ଥ୍ଯାବସ୍ଥା କ୍ଷେତ୍ରରେ ସଚେତନତା ସୃଷ୍ଟି ଲାଗି ୧୯୯୨ରେ ଏକ ପ୍ରାଥମିକ ପଦକ୍ଷେପ ନେଇଥିଲା ବିଶ୍ବ ମାନସିକ ସ୍ବାସ୍ଥ୍ୟ ସଂଗଠନ ବା ୱାର୍ଲଡ ଫେଡେରେସନ ଫର ମେଣ୍ଟାଲ ହେଲଥ।