ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ବର୍ଷା ନେଇ ବଡ଼ ଅପଡେଟ୍ ଦେଲା ପାଣିପାଗ ବିଭାଗ

ଓଏଲ୍ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା। ଦିନିକିଆ କ୍ରିକେଟ ବିଶ୍ବକପ୍ ୨୦୨୩ର ୧୨ ତମ ମୁକାବିଲାରେ ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ହାଇଭୋଲଟେଜ ଟକ୍କର। ଅପରାହ୍ଣ ୨ଟାରେ ଏହି ମହାମୁକାବିଲା ଆରମ୍ଭ ହେବ। ଏଥିପାଇଁ ସଂପୂର୍ଣ୍ଣ ଅହମଦାବାଦ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ମ୍ୟାଚ୍ର ୪୮ ଘଣ୍ଟା ପୂର୍ବରୁ ପାକିସ୍ତାନ ଏଠାକାର ପିଚ୍ ଓ ପଡ଼ିଆକୁ ଅନୁଧ୍ୟାନ କରିସାରିଥିଲା ବେଳେ ଭାରତ ଶୁକ୍ରବାର ସନ୍ଧ୍ୟାରେ ହାଲ୍କା ଅଭ୍ୟାସ କରିଛି।
ଏସିଆ କପରେ ପାକିସ୍ତାନକୁ ଭାରତୀୟ ଟିମ ପରାଜିତ କରିଥିବାରୁ ଖେଳାଳିଙ୍କ ମନୋବଳ ସୁଦୃଢ ରହିଛି। ଚଳିତ ବିଶ୍ୱକପରେ ଭାରତୀୟ ଟିମ୍ ନମ୍ବର ୱାନ୍ ଟିମ୍ ହୋଇଥିବା ବେଳେ ପ୍ରଦର୍ଶନ ମଧ୍ୟ ଦମଦାର ରହିଛି। କପ୍ତାନ ହିଟମ୍ୟାନ ବି ଫର୍ମରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଫ୍ଲପ ହେଲା ପରେ ବି ଜବରଦସ୍ତ କମବ୍ୟାକ କରି ଆଫଗାନିସ୍ତାନ ମ୍ୟାଚରେ ସେ ନିଜ କମାଲ ଦେଖାଇ ଦେଇଛନ୍ତି। ଏହାବାଦ ବିରାଟ କୋହଲି , ଇଶାନ କିଷନ ଓ ଶ୍ରେୟାସ ଆୟାର ବି ଜବରଦସ୍ତ ଫର୍ମରେ ଅଛନ୍ତି।
ତେବେ ଏହି ଗୁରୁତ୍ବପୂର୍ଣ୍ଣ ମୁକାବିଲା ପୂର୍ବରୁ ଭାରତୀୟ ପ୍ରଶଂସକଙ୍କୁ ବଡ଼ ଖବର ଦେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଡେଙ୍ଗୁରେ ପୀଡ଼ିତ ଶୁବମନ ଗିଲ୍ ଏହି ମ୍ୟାଚ୍ରେ ଖେଳିବା ସମ୍ଭାବନା ୯୯ ପ୍ରତିଶତ ଥିବା ରୋହିତ କହି ତାଙ୍କର ଖେଳିବା ଏକପ୍ରକାର ନିଶ୍ଚିତ ବୋଲି ସଙ୍କେତ ଦେଇଛନ୍ତି।
ସେହିପରି ପାକିସ୍ତାନ ବି ଶ୍ରୀଲଙ୍କା ବିପକ୍ଷ ମ୍ୟାଚକୁ ଛଡାଇ ଆଣିବା ପରେ ସେ ବି ବିଶ୍ୱକପ ଜିତିବାର ବଡ ଦାବିଦାର ବୋଲି ଦେଖାଇଦେଇଛି। ସାହିନ ଶାହ ଆଫ୍ରିଦ, ହାରିଶ ରୌଫ ଏବଂ ହାସନ ଅଲ୍ଲୀଙ୍କ ଭଳି ଷ୍ଟାର ବୋଲର ମଧ୍ୟ ରହିଛନ୍ତି। ସେହିପରି ବାବର ଆଜାମ, ମହମ୍ମଦ ରିଜଓ୍ବାନଙ୍କ ଭଳି ଦମଦାର ବ୍ୟାଟସମ୍ୟାନ୍ ଭଲ ଫର୍ମରେ ଅଛନ୍ତି। ତେଣୁ ପାକିସ୍ତାନକୁ ଭାରତ କେବେ ବି ସହଜରେ ନେବ ନାହିଁ।
ସାମାନ୍ୟ ବର୍ଷା ଆଶଙ୍କା:
ଦୁଇ ଚିରାଚରିତ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଯାଉଥିବା ଏହି ତୀବ୍ରତାପୂର୍ଣ୍ଣ ମ୍ୟାଚ୍ରେ ସାମାନ୍ୟ ଧରଣର ବର୍ଷା ହେବା ଅନୁମାନ କରାଯାଇଛି। ଯଦିଓ ଏହି ବର୍ଷା ମ୍ୟାଚ୍ରେ ସେଭଳି କିଛି ପ୍ରତିବନ୍ଧକ ଆଣିବନି, ତଥାପି ଉତ୍ତର ଗୁଜରାଟରେ ବର୍ଷା ହେବା ସହ ଆକାଶ ମେଘୁଆ ରହିପାରେ ବୋଲି ଗୁଜରାଟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଶନିବାର ଓ ରବିବାର ଦୁଇ ଦିନ ପାଇଁ ଏହି ପୂର୍ବାନୁମାନ କରାଯାଇଛି। ଏହାପରଠୁ ପରବର୍ତ୍ତୀ ୫ ଦିନ ପାଗ ଶୁଖିଲା ରହିବ ବୋଲି କୁହାଯାଇଛି।
ସମ୍ଭାବ୍ୟ ଭାରତ ଏକାଦଶ: ଶୁବମନ ଗିଲ୍, ରୋହିତ ଶର୍ମା, ବିରାଟ କୋହଲି, ଈଶାନ କିଶନ/ଶ୍ରେୟସ ଆୟର, କେଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବିନ/ମହମ୍ମଦ ସାମି, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା
ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ଅବଦୁଲ୍ଲା ସାଫିକ, ଇମାମ ଉଲ ହକ, ବାବର ଆଜମ, ମହମ୍ମଦ ରିଜୱାନ, ସାଉଦ ସକିଲ, ଈଫତିକାର ଅହମଦ, ସଦାବ ଖାନ, ମହମ୍ମଦ ନୱାଜ, ହାସନ ଅଲ୍ଲୀ/ମହମ୍ମଦ ୱାସିମ, ସାହିନ ସାହ ଆଫ୍ରିଦି, ହାରିସ ରୌଫ