ଡମପଡ଼ାରେ କେନ୍ଦ୍ରୀୟ ସୁବିଧା କେନ୍ଦ୍ର ଉଦଘାଟନ

ବାଙ୍କୀ/ଡ଼ମପଡା: ମାର୍ଟ ଏକାଡେମୀ ଏବଂ ଏସବିଆଇ ଫାଉଣ୍ଡେସନ ଆନୁକୁଲ୍ୟରେ ଅକ୍ଟୋବର ୧୩ ତାରିଖ ଦିନ ବାଙ୍କୀ ଡମପଡ଼ା କ୍ଲଷ୍ଟର ଅନ୍ତର୍ଗତ ୫ ଖଣ୍ଡ ପଞ୍ଚାୟତ ର ୧୧ ଟି ଗାଁର ଅଗ୍ରଣୀ ଚାଷୀ ମାନଙ୍କୁ ନେଇ ଏକ କେନ୍ଦ୍ରୀୟ ସୁବିଧା କେନ୍ଦ୍ର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡଃ ଅମର ପଟ୍ଟନାୟକ, ରାଜ୍ୟ ସଭା ସାଂସଦ ଯୋଗ ଦେଇ କେନ୍ଦ୍ରୀୟ ସୁବିଧା କେନ୍ଦ୍ର ର ସୁବିଧା, ସୁଯୋଗ, ଉପଲବ୍ଧ ସେବା ଓ ଜ୍ଞାନ, ଉନ୍ନତ କୃଷି ଉପକରଣ, ଉପଲବ୍ଧ ଉନ୍ନତ ମାନର ପନିପରିବା ବିହନ ସହିତ ମୃତ୍ତିକା ପରୀକ୍ଷଣ ର ସୁବିଧା ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ସମସ୍ତ ଅଗ୍ରଣୀ ଚାଷୀ ଭାଇ ମାନଙ୍କୁ ଦେଶର ଅନ୍ନଦାତା ଅଭିହିତ କହି ସଭାରେ ଯୋଗ ଦେଇଥିବା ଚାଷୀ ଭାଇ ମାନଙ୍କୁ ପନିପରିବା ବିହନ ବଣ୍ଟନ କରିଥିଲେ। ଏହି ସଭାରେ ସଭାପତିତ୍ବ କରୁଥିବା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା, ପାର୍ଟନର ଓ ମୁଖ୍ୟ ମାର୍ଟ ଏହି କ୍ଲଷ୍ଟର ଚୟନ ର ଅଭିପ୍ରାୟ ଓ ଆବଶ୍ୟକତା ଉପରେ ଉଲ୍ଲେଖ କରିବା ସହ ପୂର୍ବାପର ପ୍ରାସଙ୍ଗିକତା ବିଷୟ ରେ ଅବଲୋକନ କରାଇଥିଲେ।
ଏହି ସଭାରେ ଅନ୍ୟତମ ବିଶିଷ୍ଟ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିବା ଅମନ ଭେୟା, ଏଭିପି, ଏସବିଆଇ ଫାଉଣ୍ଡେସନ ପ୍ରୋଜେକ୍ଟ ର ଆଭିମୁଖ୍ୟ, ମାର୍ଟ ଏକାଡେମୀ କୁ ପାର୍ଟନର ଚୟନ ର ଉଦ୍ଦେଶ୍ୟ ଏବଂ ପ୍ରୋଜେକ୍ଟ ସଫଳତା ପାଇଁ ଚାଷୀ ଭାଇ ମାନଙ୍କ ଭୂମିକା ଓ ସହଭାଗିତା ବିସୟରେ ବିସ୍ତୃତ ରେ ଆଲୋଚନା କରିଥିଲେ। ଅନ୍ୟ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ମାର୍ଟ ଏକାଡେମୀ ର ଏସବିଆଇ ଫାଉଣ୍ଡେସନ ପ୍ରୋଜେକ୍ଟ ମୁଖ୍ୟ ଡଃ ଅଭିଷେକ ସାମଲ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ସଭାରେ ସମସ୍ତଙ୍କର ପରିଚୟ ପ୍ରଦାନ କରି ପ୍ରୋଜେକ୍ଟ ର ବିଭିନ୍ନ ଦିଗ ଗୁଡ଼ିକ ଉପରେ ସମ୍ୟକ୍ ବିବରଣୀ ଦେଇଥିଲେ। ଅନ୍ୟ ଯେଉଁ ବିଶେଷ ଅତିଥିମାନେ ସଭାରେ ଯୋଗ ଦେଇଥିଲେ, ସେମାନଙ୍କ ମଧ୍ୟରେ ସୁଶ୍ରୀ ତନଭି, ଏସବିଆଇ ଫାଉଣ୍ଡେସନ ପ୍ରୋଜେକ୍ଟ ମୁଖ୍ୟ ଏବଂ ପ୍ରମୋଦ କୁମାର ରଥ, ବାଙ୍କୀ ଏସବିଆଇ ଶାଖାର ମୁଖ୍ୟ ପରିଚାଳକ ସଭାରେ ଉପସ୍ଥିତ ଥିଲେ। ମାର୍ଟ ତରଫରୁ ଅନୁଷ୍ରୀ ଏହି ସଭା କାର୍ଯ୍ୟକୁ ପରିଚାଳନା କରୁଥିଲେ। ଅନ୍ୟୁନ୍ୟ ୧୫୦ ଜଣ ଅଗ୍ରଣୀ ଚାଷୀ ସଭାରେ ଯୋଗ ଦେଇଥିଲେ।