ଆସନ୍ତା ୨୦ରୁ ରାଜ୍ୟରେ ବସ୍ ଧର୍ମଘଟ

ଓଏଲ୍ ବ୍ୟୁଲୋ: ସରକାରଙ୍କ ସହ ଆଲୋଚନା ବିଫଳ ହେବା ଏବଂ ଦାବି ପୂରଣ ନହେବାରୁ ଘରୋଇ ବସ୍ ମାଲିକ ସଂଘ ବସ୍ ଧର୍ମଘଟ ଡାକରା ଦେଇଛି। ଆସନ୍ତା ୨୦ ତାରିଖ ଅର୍ଥାତ ଶୁକ୍ରବାରଠୁ ରାଜ୍ୟରେ ବସ୍ ଧର୍ମଘଟ କରାଯିବ ବୋଲି ଘରୋଇ ବସ୍ ମାଲିକ ସଂଘ କହିଛି। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସଂଘ ଏଭଳି ନିଷ୍ପତି ନେଇଛି। ୨୦ ତାରିଖ ସକାଳ ୬ଟାରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ।
ବସ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ବ୍ଲକରୁ ଜିଲ୍ଲାକୁ କୌଣସି ଲକ୍ଷ୍ମୀ ଯୋଜନା ବସ ଚାଲିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେବଳ ପଞ୍ଚାୟତରୁ ବ୍ଲକକୁ ଗଡିବ. ମାତ୍ର ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ସହ ଭଡା ମଧ୍ୟ କମାଇଦେଇଛନ୍ତି। ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ପରେ ଘରୋଇ ବସ୍ ମାଲିକମାନେ ଅସୁବିଧାରେ ପଡିବେ। ତେଣୁ ଏହାକୁ ବିରୋଧରେ ଆସନ୍ତା ୨୦ରୁ ବସ୍ ଧର୍ମଘଟ କରାଯିବ।
ଏହାପୂର୍ବରୁ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ରୁ ରାଜ୍ୟବାପୀ ବସ୍ ଧର୍ମଘଟ କରିବାକୁ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଥିଲେ। ପରେ ସରକାରଙ୍କ ସହିତ ଆଲୋଚନା କରି ବସ୍ ଧର୍ମଘଟକୁ ସ୍ଥଗିତ ରଖିଥିଲା ସଂଘ। ଅନ୍ୟପଟେ ୨୦ ତାରିଖରୁ ଭୁବନେଶ୍ବର ୧ ନମ୍ବର ହାଟରେ ପରିବା ବିକ୍ରି ବନ୍ଦ ରହିବ। ଏନେଇ ରାଜଧାନୀ ହାଟ କଞ୍ଚା ପରିବା ମହାଜନ ସଂଘ ଘୋାଷଣା କରିଛି।