ବଦଳିଲେ ୭ ଓଏଏସ୍; ବିଶାଲ ଦେବଙ୍କୁ ଶକ୍ତି ବିଭାଗର ଅତିରକ୍ତି ଦାୟିତ୍ବ
ଭୁବନେଶ୍ବର: ୭ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ବଦଳି କରିଲେ ରାଜ୍ୟ ସରକାର। ଏଥିସହିତ ବରିଷ୍ଠ ଆଇଏଏସ୍ ତଥା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କୁ ମିଳିଛି ଅତିରିକ୍ତ ନୂଆ ଦାୟିତ୍ବ। ଶ୍ରୀ ଦେବଙ୍କୁ ଅତିରିକ୍ତ ଦାୟତ୍ବ ଭାବେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଓ ଗ୍ରୀଡକୋର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।
ବିଜ୍ଞପ୍ତି ମୁତାବକ ଶ୍ରୀ ଦେବ ପୂର୍ବପରି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଓଡ଼ିଶା ଜଳ ବିଦ୍ୟୁତ ନିଗମ ଲିମିଟେଡର ଅଧ୍ୟକ୍ଷ ପଦବୀରେ ମଧ୍ୟ ରହିବେ। ଶ୍ରୀ ଦେବ ଦାୟିତ୍ବ ଗ୍ରହଣ କରିବା ମାତ୍ରେ ଏହି ପଦବୀରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଲ ଉଭୟ ଶକ୍ତି ବିଭାଗ ଓ ଗ୍ରୀଡକୋ ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବେ। ଏନେଇ ସାକ୍ଷାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି।
ସେହିପରି କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ଦୀପ୍ତି ମହାପାତ୍ରଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ ବିଭାଗର ଯୁଗ୍ମ ସଚିବ ନିଯୁକ୍ତ ହୋଇଛନ୍ତି। ନବକୃଷ୍ଣ ଜେନାଙ୍କୁ ଯାଜପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ନରେଶ ଚନ୍ଦ୍ର ଶବରଙ୍କୁ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ବଦଳି କରାଯାଇଛି।
ସେହିପରି ଦୁଃଖବନ୍ଧୁ ନାୟକଙ୍କୁ ସୁକିନ୍ଦାର ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ପଦବୀକୁ ବଦଳି କରାଯାଇଛି। ଚିନ୍ମୟ କୁମାର ଆଚାର୍ଯ୍ୟ ଭୁବନେଶ୍ବରର ନୂଆ ଉପଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି ।ଶଙ୍କର କେରକେଟ୍ଟାଙ୍କୁ ନଗର ଉନ୍ନୟନ ବିଭାଗକୁ ପଠାଯାଇଥିବା ବେଳେ ହେମାସାରଗର ଭୋଇଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।