ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ପରଲୋକରେ ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି। ପୁରୀ ରାଜନୀତିର ଭୀଷ୍ମ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ସୋମବାର ବିଳମ୍ବିତ ରାତିରେ ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ବଡ଼ କ୍ଷତି। ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ। ଏହା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।
ଅକ୍ଟୋବର ୩୧ ତାରିଖରେ ସେ ଗୁରୁତର ହୋଇଥିଲେ। ପରେ ତାଙ୍କୁ ଉତ୍ତମ ଚିିକିତ୍ସା ନିମନ୍ତେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ଅଣାଯାଇଥିଲା। ଚିକିତ୍ସା ମଧ୍ୟ ଚାଲିଥିଲା। ଅଭିଜ୍ଞ ଡାକ୍ତର ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ସେ ସୁସ୍ଥ ହୋଇ ପାରିନଥିଲେ। ମହେଶ୍ବର ମହାନ୍ତିଙ୍କ ବିୟୋଗରେ ସମଗ୍ର ପୁରୀରେ ଶୋକର ଛାୟା ଖେଳି ଯାଇଛି।
ସେ ପୁରୀ ବିଧାନସଭା ଆସନରୁ ଲଗାତାର ୫ ଥର ବିଜୟୀ ହୋଇଥିଲେ। ୧୯୯୫ରୁ ୨୦୧୯ ଯାଏଁ ପୁରୀରୁ ପ୍ରତିନିଧିତ୍ବ କରୁଥିଲେ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ। ନବୀନ ସରକାରରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ।