ବିଧାୟକଙ୍କୁ ନେଇ ବିବାହ ବିବାଦ ମାମଲା: ହାଜର ହେଲେ ସୋମାଲିକା
ଓଏଲ୍ ବ୍ୟୁରୋ: ବ୍ୟକ୍ତିଗତ କାରଣ ପାଇଁ ପୁଣିଥରେ ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ବିବାହ ପାଇଁ କୋର୍ଟରେ ଆବେଦନ କରିଥିବା ଖବର ସାମ୍ନାକୁ ଆସିବା ପରେ ଏବେ ସେ ଚର୍ଚ୍ଚାରେ। ଦୀର୍ଘଦିନର ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ବିବାହ ନିଷ୍ପତ୍ତିରୁ ଓହରି ଯିବା ନେଇ ଯୌନ ନିର୍ଯାତନା ଓ ପ୍ରତାରଣାର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଏପରି ସମୟରେ ପ୍ରତ୍ୟୁଷା ନନ୍ଦ ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିବାକୁ କଟକସ୍ଥିତ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସେ ଆବେଦନ କରିଥିବା ଜଣାପଡ଼ିଛି।
ଅନ୍ୟପଟେ, ଏହି ମାମଲାରେ ସୋମାଲିକା ଦାଶ ହାଜର ହୋଇଛନ୍ତି। ପୂର୍ବରୁ ବିସ୍ଫୋରକ ବୟାନ ଦେଇଥିଲେ ସୋମାଲିକା ଦାଶ। ସେ କହିଥିଲେ, ବିଜୟଙ୍କୁ ମୁଁ ଛାଡ଼ିବିନି। କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ଠାରେ ଅଭିଯୋଗ କରିବି। ମୋର କଣ କିଛି ଇଜ୍ଜତ ନାହିଁ। ଝିଅ ବୋଲି କଣ ମୋତେ ଏମିତି ହଇରାଣ କରାଯିବ ? ସେ ଯାହାକୁ ଚାହଁବେ ତାଙ୍କ ଜୀବନ ନଷ୍ଟ କରିବେ ? ଏମିତି କହି ବିଜୟଶଙ୍କରଙ୍କ ଉପରେ ବର୍ଷିଥିଲେ ସୋମାଲିକା।
ସେ ଆହୁରି କହିଥିଲେ, ‘ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି। ଜଗତସିଂହପୁର ପୁଲିସ ମୋର ବୟାନ ରେକର୍ଡ କରି ସାରିଛି। ବାରମ୍ବାର ଡାକି ମୋତେ ପଚାରୁଛି ପୁଲିସ, କିନ୍ତୁ ଥରେ ବି ବିଜୟଙ୍କୁ ଡାକି ଜେରା କରିନି। ଦଳ ପାଇଁ ଏଭଳି ସପୋର୍ଟ ମିଳୁଛି। ଜଣେ ସାଧାରଣ ଲୋକ ହୋଇଥିଲେ ସେ କେବେବି ଏପରି କରିନଥାନ୍ତେ। ଯାହା ବି ହେଉ, ୩୦ ଦିନ ଭିତରେ ନିଶ୍ଚିତ ଅଭିଯୋଗ କରିବି ବୋଲି ସୋମାଲିକା କହିଥିଲେ।
ସୂଚନାଥାଉକି, ବିଧାୟକ ଶ୍ରୀ ଦାସ ଗତବର୍ଷ ମେ’ ୧୭ତାରିଖରେ ନିଜର ଦୀର୍ଘଦିନର ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ କରିବାକୁ ଜଗତସିଂହପୁର ସବରେଜିଷ୍ଟ୍ରାରଙ୍କ ପାଖରେ ଆବେଦନ କରିଥିଲେ। କିନ୍ତୁ ଏକମାସର ନୋଟିସ୍ ଅବଧି ପରେ ସେ ବିବାହ ପାଇଁ ଉପସ୍ଥିତ ହୋଇନଥିଲେ। ଯାହାକୁ ନେଇ ସୋମାଲିକା ପରବର୍ତ୍ତୀ ସମୟରେ ଜଗତସିଂହପୁର ଥାନାରେ ଯୌନ ନିର୍ଯାତନା, ଦୁଷ୍କର୍ମ ମାମଲା ଦାଏର କରିଥିଲେ।