ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ; ୨୫ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ
ଓଏଲ୍ ବ୍ୟୁରୋ: ପୁଣି ଚର୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ‘ପନୌତି’ ଶବ୍ଦ ବ୍ୟବହାର କରିଥିଲେ ରାହୁଲ। ୨୫ ତାରିଖ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ, ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ପୂର୍ବରୁ ସବୁ ଚୋର କାହିଁକି ମୋଦି ସାଙ୍ଗିଆ ବହନ କରିଛନ୍ତି ବୋଲି ୨୦୧୯ ଏପ୍ରିଲ୍ରେ ରାଜନୈତିକ ପ୍ରଚାର ଅଭିଯାନ ବେଳେ ରାହୁଲ୍ ଗାନ୍ଧୀ ମନ୍ତବ୍ୟ ଦେଇଥିଲେ। ତେବେ ଏହି ମାନହାନି ମାମଲାକୁ ନେଇ କୋର୍ଟରେ କେଶ ଦାଏର ହୋଇଥିଲା। ଉପରୋକ୍ତ ମନ୍ତବ୍ୟ ଦେଇଥିବାରୁ ରାହୁଲ୍ଙ୍କ ନାଁରେ ‘ବିଜେପି’ ବିଧାୟକ ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ଅଭିଯୋଗ ଦାଏର କରିଥିଲେ।
ଏହି ମନ୍ତବ୍ୟ ସମଗ୍ର ମୋଦି ସମ୍ପ୍ରଦାୟର ମାନହାନି କରିଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର୍ଠାରେ ଆୟୋଜିତ ରାଲିରେ ଉଦ୍ବୋଧନ ଦେବା ବେଳେ ରାହୁଲ୍ ଗାନ୍ଧୀ ‘ମୋଦୀ’ ସାଙ୍ଗିଆକୁ ବିଦ୍ରୂପ କରି ଏଭଳି ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ।
ଉପରୋକ୍ତ ମାମଲାର ଶୁଣାଣି କରି ଗୁଜରାଟର ସୁରତ ଜିଲ୍ଲାସ୍ଥିତ ଏକ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡାଦେଶ ଦେଇଥିଲେ। ମୋଦି ଉପନାମ ମାମଲାରେ ବୟାନ ଦେବାକୁ ନେଇ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷର ଦଣ୍ଡାଦେଶ ହୋଇଥିଲା। ଯାହାଫଳରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲଙ୍କ ପାଇଁ ପୁଣିଥରେ ସଂସଦର ଦ୍ୱାର ଖୋଲିଛି।