ଟନେଲ୍ ତଳେ ୪୧ ଜୀବନ; ଉଦ୍ଧାର ପାଇଁ ଚାଲିଛି ଖନନ
ଓଏଲ୍ ବ୍ୟୁରୋ: ଟନେଲ୍ ଭିତରେ ମିଶନ ଜୀବନ। ଆଶା ଆଉ ଆଶଙ୍କା ମଧ୍ୟରେ ଆଉ ମାତ୍ର କିଛି ସମୟର ଅପେକ୍ଷା। ହଟିବ ଟନେଲର ଅନ୍ଧାର ଆଉ ବଞ୍ଚିବ ୪୧ ଜୀବନ। ମାନୁଆଲ ଡ୍ରିଲିଂ କରୁଛନ୍ତି ‘ରାଟ୍ ହୋଲ’ ମାଇନର। ‘ରାଟ୍ ହୋଲ’ ମାଇନରଙ୍କ ଦ୍ବାରା ୨ମିଟର ଖୋଳା ସରିଲାଣି। ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ମାତ୍ର ୫-୬ମିଟର ବାକି ରହିଥିବାବେଳେ ୮୬ମିଟରରୁ ୩୬ ମିଟର ଭର୍ଟିକାଲ ଡ୍ରିଲିଂ କାମ ଶେଷ ହୋଇଛି।
ଅନ୍ୟପଟେ, ୪୧ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି। ଉଦ୍ଧାର ପାଇଁ ଆହୁରି ସମୟ ଲାଗି ପାରେ। ଟନେଲର ଉଭୟ ପାର୍ଶ୍ବରୁ ଏବଂ ଉପର ପଟୁ ଡ୍ରିଲ୍ ଚାଲିଛି। ଉଦ୍ଧାର କାର୍ଯ୍ୟ ପାଇଁ ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ୱତନ୍ତ୍ର ଅଗର ମେସିନ। ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ।
ସୂଚନା ଅନୁସାରେ, ଗତ ଙ୍ଗଳବାର ଭିଡିଓ କ୍ୟାମେରାରେ ଶ୍ରମିକଙ୍କ ଛବି ଆସିଥିଲା। ବାହାରକୁ ଆସିବା କେବଳ ବାକି ରହିଛି। ସାଢ଼େ ୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଟନେଲର ୨୬୦ ମିଟର ପରେ ୪୧ ଶ୍ରମିକ ଫସି ରହିଛନ୍ତି। ମୁହଁ ଠାରୁ ୨୦୦ ମିଟର ପରେ ଭୁଶୁଡ଼ି ପଡ଼ିଥିଲା ଟନେଲ। ୬୦ ମିଟର ପର୍ଯ୍ୟନ୍ତ ଟନେଲ ପୋତି ହୋଇ ଯାଇଥିଲା। ଫଶିରହିଥିବା ଶ୍ରମିକଙ୍କଠୁ ଆଉ ୪ ମିଟର ଦୂରତା ରହିଛି। ଡ୍ରିଲିଂ ମେସିନର ବ୍ଲେଡ ଭାଙ୍ଗିଯବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଥିଲା।
ପରେ ପୁଣି ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ କିଛି ସମୟ ଲାଗିପାରେ ବୋଲି ସୂଚନା ଆସିଛି। ଘଟଣାସ୍ଥଳରେ ୪୧ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି ଏବଂ ସ୍ଥାନୀୟ ଡାକ୍ତରଖାନାରେ ୪୧ଟି ବେଡ ମଧ୍ୟ ପ୍ରସ୍ତୁତ କରାଯାଇଛି। ଶ୍ରମିକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡିଲେ ଶ୍ରମିକମାନଙ୍କୁ ଏୟାର ଲିଫ୍ଟ କରି ରିଷିକେଶ ଏମ୍ସକୁ ନିଆଯିବ।