ନୟାଗଡ଼ ଚିକିତ୍ସାଳୟରେ ପ୍ରସୂତିଙ୍କ ଠାରୁ ଲାଞ୍ଚ, ଭିଡିଓ ଭାଇରାଲ

ନୟାଗଡ଼: ପୁଣିଥରେ ଚର୍ଚ୍ଚାରେ ନୟାଗଡ଼ ମେଡିକାଲ। କାରଣ ଜଣେ ନର୍ସ ଲାଞ୍ଚ ନେଇଥିବାର ଭିଡିଓ ଏବେ ଚର୍ଚ୍ଚାର ବିଷୟ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟିଚ୍ ଖୋଲିବା ପାଇଁ ନର୍ସ ୨୦୦ଟଙ୍କା ନେଇଥିବାର ଭିଡିଓ ଭାଇରାଲ ହେବା ଘଟଣାରେ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ବେତ ମହାପାତ୍ର ସମ୍ପୃକ୍ତ ନର୍ସ ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କୁ ନିଲମ୍ବନ କରିଛନ୍ତି। ସେ ଦୀର୍ଘଦିନ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ଏଭଳି କାର୍ଯ୍ୟନୁଷ୍ଠାନ ପରେ ଚିକିତ୍ସାଳୟର କର୍ମଚାରୀ, ନର୍ସ ଓ ଡାକ୍ତରଙ୍କ ମଧ୍ୟରେ ଭୟ ସୃଷ୍ଠି ହୋଇଛି।
ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ସୋଲପଟା ଗ୍ରାମର କାମେଶ୍ବର ଆଚାରୀଙ୍କ ପତ୍ନୀ ସନ୍ଧ୍ୟା ଆଚରୀ ଗର୍ଭବତୀ ଥିଲେ। ଗତମାସ ୨୨ରେ ପ୍ରସବ ପାଇଁ ଡାକ୍ତର ତାରିଖ ଧାର୍ଯ୍ୟ କରିଥିଲେ। ମାତ୍ର ୨୭ ତାରିଖ ଯାଏଁ ଗର୍ଭ ବେଦନା ନହେବା ସହିତ ଅଣ୍ଟାରେ ଯନ୍ତ୍ରଣା ହେବାରୁ ସନ୍ଧ୍ୟା ସ୍ଥାନୀୟ ଆଶାଦିଦିଙ୍କ ସହିତ ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଡାକ୍ତର ଅପରେସନ୍ କରି ପ୍ରସବ କରାଇବାକୁ ପରାମର୍ଶ ଦେଇଥିଲେ। ଏନେଇ କାମେଶ୍ବର ଥଙ୍ଗମଙ୍ଗ ହେବାକୁ ଆଶଦିଦି ଓ ନର୍ସମାନେ ତାଙ୍କୁ ବିଭିନ୍ନ କଥା କହି ଭୟଭୀତ କରାଇଥିବା ଅଭିଯୋଗ ହୋଇଥିଲା। ପ୍ରସୂତୀଙ୍କ ଜଳୀୟ ଅଂଶ କମି ଯାଇଥିବାରୁ ଛୁଆର ଜୀବନ ପ୍ରତି ବିପଦ ଥିବା ସେମାନେ କହିବା ପରେ କାମେଶ୍ବର ଅପରେସନ୍ କରାିବା ପାଇଁ ରାଜି ହୋଇଥିଲେ।
ଏହାପରେ ଆଶାଦିଦିଙ୍କ ଜରିଆରେ ୫ହଜାର ଟଙ୍କା ଦାବି କରାଯିବାରୁ ବାଧ୍ୟବାଧକତାରେ କାମେଶ୍ବର ଏହି ଟଙ୍କା ଦେଇଥିଲେ। ତେବେ ଏତିକିରେ ତାଙ୍କୁ ଶୋଷଣରୁ ମୁକ୍ତି ମିଳିନଥିବା ସେ ପ୍ରକାଶ କରିଛନ୍ତି। ଅପରେସନ୍ ପ୍ରକୋଷ୍ଠରୁ ଓ୍ବାର୍ଡକୁ ଷ୍ଟ୍ରେଚରରେ ନେବା ପାଇଁ ତଳିଆ କର୍ମଚାରୀ ୨୦୦ ଶହ ଟଙ୍କା ଏବଂ ସିଲେଇ ଖୋଲିବା ପାଇଁ ନର୍ସ ଦୁଇଶହ ଟଙ୍କା ନେଇଥିବା ସେ ଅଭିଯୋଗ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଅପରେସନ୍ ପରେ ଝିଅଟିଏ ଜନ୍ମ ହୋଇଥିବାବେଳେ ଜଣ୍ଡିସ୍ ହୋଇଥିବା ଜଣାପଡ଼ିଥିଲା। ଝିଅର ଚିକିତ୍ସାରେ ଅବହେଳା କରାଯାଇ ତାଙ୍କୁ ପୁଣି ଅର୍ଥ ଦାବି କରାଯାଇଥିଲା ବୋଲି କାମେଶ୍ବର ନୟାଗଡ଼ ଟାଉନ୍ ଥାନା ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ମୁଖ୍ୟ ଚିକିତ୍ସାଧୀକାରୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ଆସିବା ପରେ ବୁଧବାର କାର୍ଯ୍ୟନୂଷ୍ଠାନ ଗ୍ରହଣ କରାଯାଇ ସମ୍ପୃକ୍ତ ନର୍ସ ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କୁ ନିଲମ୍ବନ କରାଯାଇଥିବା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ଆଧାରରେ ପୁଲିସ୍ କିପରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ତାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।
ଦେଖନ୍ତୁ ଭିଡିଓ:
Comments are closed.