Odisha Link
Bridging the Missing Links in Odisha

ଜୋରିମାନା ଦେବା ବଦଳରେ ବାଇକ ଜାଳିଦେଲେ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ଡ୍ରାଇଭିଂ ଲାଇସେନ୍ସ, ଇନସୁ୍ୟରାନ୍ସ ଓ ପଲୁ୍ୟସନ ପ୍ରମାଣପତ୍ର ନଥିଲେ ଜୋରିମାନା କରାଯାଉଛି। କାଗଜପତ୍ର ନଥିଲେ ଆଇନ ଖାତା ଆଡେ଼ଇ ପୁଲିସ ହଜାର ହଜାର ଟଙ୍କାର ଜୋରିମାନା ବୋଝ ବି ଲଦି ଦେଉଛନ୍ତି। ଯାହା ଏବେ ଅଧିକାଂଶଙ୍କ ଟେନସନ ବଢାଇ ଦେଇଛି । ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି। ତେବେ ଏହାରି ଭିତରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମାନକୁ ଆସିଛି। ଜଣେ ବାଇକ ଚାଳକ ୨୫ ହଜାର ଜୋରିମାନା ଦେବା ବଦଳରେ ନିଜ ବାଇକକୁ ଜାଳିଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି।
ପ୍ରକାଶ ଯେ, ଦିଲ୍ଲୀର ମାଳବୀୟ ନଗର ଅଞ୍ଚଳରେ ଟ୍ରାଫିକ ପୁଲିସ ଚେକିଙ୍ଗ୍ କରୁଥିବା ସମୟରେ ଜଣେ ବ୍ୟକ୍ତି ମଦ ପିଇ ଗାଡି ଚାଳନା କରୁଥିବା ଧରା ପଡିଥିଲେ। ଧରା ହେବା ପରେ ଟ୍ରାଫିକ ପୁଲିସ ତାଙ୍କୁ ୨୫ ହଜାର ଟଙ୍କା ତଣ୍ଡ କଷି ଦେଇଥିଲେ। ଏହି ଚାଲାଣ ରାକେଶ ନାମକ ଜଣେ ବ୍ୟକ୍ତିଙ୍କ ନାମରେ କଟାଯାଇଥିଲା। ତେବେ ଏତେ ମୋଟା ଅଙ୍କର ଫାଇନ ଦେଖି ବ୍ୟକ୍ତି ଜଣକ ଉତ୍ୟକ୍ତ ହୋଇ ନିଜ ବାଇକ ଟାଙ୍କିରୁ ତେଲ ବାହାର କରି ବାଇକରେ ନିଆଁ ଲଗାଇ ଦେଇଥିଲେ।
ବାଇକ ଚାଳକଙ୍କ ଏଭଳି କାଣ୍ଡ ଦେଖି ସେଠାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ସ୍ଥାନୀୟ ପୁଲିସ ସହ ଅଗ୍ନିଶମ ବିଭାଗ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ। ପୁଲିସ ରାକେଶଙ୍କ ବିରୋଧରେ ଆଇପିସି ଧାରା ୪୫୩ ଆଧାରରେ ମାମଲା ରୁଜୁ କରିଛନ୍ତି। ପୁଲିସ ମୁତାବକ ରାକେଶ ବାଇକ ଚାଳନା ବେଳେ ମଦ ପିଇ ଥିଲେ।

Comments are closed.