ରେଙ୍ଗାଲି ବୋର୍ୱେଲରୁ ଶିଶୁ ଉଦ୍ଧାର ଘଟଣା: ମିଳିଲା ଶିଶୁକନ୍ୟାର ମାଆଙ୍କ ପରିଚୟ

ଓଏଲ୍ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଉଦ୍ଧାର ଶିଶୁକନ୍ୟାର ମାଆଙ୍କ ପରିଚୟ ମିଳିଥିବା ଏସ୍ପି ସୂଚନା ଦେଇଛନ୍ତି। ମହିଳା ସ୍ଥାନୀୟ ଅଞ୍ଚଳର, ମାନସିକ ଅବସ୍ଥା ଠିକ୍ ନଥିବା ଏସ୍ପି ସୂଚନା ଦେଇଛନ୍ତି।
ମହିଳା ଜଣଙ୍କ କଟକ ଏସ୍ସିବିରେ ଚିକିତ୍ସାଧୀନ ଥିବାବେଳେ ମହିଳାଙ୍କର ଏହା ଦ୍ୱିତୀୟ ସନ୍ତାନ ଥିବା ନେଇ ବି ସୂଚନା ମିଳିଛି। ଗତକାଲି ବୋରୱେଲରୁ ଉଦ୍ଧାର ନବଜାତର ଏକୋଇଶିଆ ଥିଲା। ଭିମସାରରେ ମେଡିକାଲ କର୍ତ୍ତୃପକ୍ଷ ଏକୋଇଶିଆ ପାଳନ କରିଥିଲେ। ଏକୋଇଶିଆରେ ମେଡିକାଲ ଟିମ୍ ସାମିଲ ହୋଇ ଝିଅର ନାଁ ବିଜୟିନୀ ରଖିଛନ୍ତି।
ମିଳିଥିବା ସୂଚନା ମୁତାବକ, ଡିସେମ୍ବର ୧୨ ତାରିଖରେ ବୋରୱେଲରୁ ଉଦ୍ଧାର ହୋଇଥିଲା। ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ଏକ ଜଙ୍ଗଲରେ ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଶିଶୁଟି ପଡ଼ିଯାଇଥିଲା। ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲ ଭିତରେ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁର କାନ୍ଦ ଶୁଣିବାକୁ ମିଳିଥିଲା।
ସ୍ଥାନୀୟ ଲୋକେ ଏନେଇ ପୁଲିସ ଓ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ। ୩ଟି ଜେସିବି ମେସିନ ସହାୟତାରେ ବୋରୱେଲକୁ ଲାଗିଥିବା ସ୍ଥାନକୁ ଖୋଳାଯାଇ ଶିଶୁ କନ୍ୟାକୁ ବୋରୱେଲରୁ ଉଦ୍ଧାର କରାଯାଇଥିଲା।