୪୦ ତମ ଶାରଳା ପୁରସ୍କାର ପାଇବେ ପ୍ରଦୀପ ଦାଶ

ଭୁବନେଶ୍ବର: ବିଶିଷ୍ଟ ଲେଖକ ଡ. ପ୍ରଦୀପ ଦାଶଙ୍କୁ ମିଳିବ ଶାରଳା ପୁରସ୍କାର ୨୦୧୯। ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଦାଶଙ୍କୁ ଚଳିତବର୍ଷ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଅପରପକ୍ଷେ ପଣ୍ଡିତ ହରମୋହନ ଖୁଣ୍ଟିଆ ଓ ଲଲାଟମୋହନ ପଟ୍ଟନାୟକ ମଧ୍ୟ ସଙ୍ଗୀତ ଓ ଚିତ୍ରକଳା ପାଇଁ ପୁରସ୍କୃତ ହେବେ।
ଆଜି ସନ୍ଧ୍ୟାରେ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଡଃ ଦାଶଙ୍କୁ ତାଙ୍କ ରଚିତ ‘ଚରୁ ଚିବର ଓ ଚର୍ଯ୍ୟା’ ପାଇଁ ୪୦ତମ ଶାରଳା ପୁରସ୍କାର ପ୍ରଦାନ କରାଯିବ । ତାଙ୍କୁ ପୁରସ୍କାର ସ୍ୱରୂପ ୫ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। ତାଙ୍କ ବ୍ୟତୀତ ଅନ୍ୟ ଦୁଇଜଣ କୃତି ବ୍ୟକ୍ତି ଯଥା ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଓ ଲଲାଟ ମୋହନ ପଟ୍ଟନାୟକଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ।
ଆସନ୍ତା ଅକ୍ଟୋବର ମାସ ୨୬ତାରିଖରେ ହୋଟେଲ ମେ’ଫେୟାରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଶାରଳା ପୁରସ୍କାର ପ୍ରଦାନ କରାଯିବ। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟଅତିଥି ଭାବେ ଯୋଗଦେବେ ବୋଲି ଜଣାପଡ଼ିଛି।ଇମ୍ପା ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲସ୍ ଆଣ୍ଡ ପବ୍ଲିକ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ଆନୁକୁଲ୍ୟରେ ୧୯୭୯ ମସିହାରୁ ‘ଶାରଳା ପୁରସ୍କାର’ ପ୍ରଦାନ କରାଯାଉଛି। ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡଃ ବଂଶୀଧର ପଣ୍ଡା ଓ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ଏହି ‘ଶାରଳା ପୁରସ୍କାର’ ପ୍ରତିଷ୍ଠା କରାଯାଇଥିଲା। ଯାହାକି ପ୍ରତିବର୍ଷ ପ୍ରଦାନ କରାଯାଉଛି। ଇମ୍ପାକ୍ଟ ପକ୍ଷରୁ ମଧ୍ୟ ରାଜ୍ୟର ଯୁବ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ‘ଏକଲବ୍ୟ ପୁରସ୍କାର’ରେ ସମ୍ମାନିତ କରାଯାଉଛି।
୧୯୯୮ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ “ଘୁମ୍ ପାହାଡ଼ର ନଈ” ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ଶ୍ରୀ ଦାଶ। ତାଙ୍କ କାହାଣୀ “ମୀମାଂସା”କୁ ନେଇ ସମାନ ନାମରେ ଏକ ଓଡ଼ିଆ ଚଳଚ୍ଚିତ୍ର ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା ଶ୍ରୀଯୁକ୍ତ ଦାଶ ସେହି ଚଳଚ୍ଚିତ୍ରର ସଂଳାପ ମଧ୍ୟ ରଚନା କରିଥିଲେ। ଶ୍ରୀମନ୍ଦିରର ପ୍ରାକ୍ତନ ପ୍ରଶାସକ(ନୀତି) ଶ୍ରୀ ଦାଶ ସଂପ୍ରତି ଓଡ଼ିଶା ସରକାରଙ୍କ ଜଳସେଚନ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ।।
Comments are closed.