ଆଗକୁ ସାଧାରଣ ନିର୍ବାଚନ; ବଡ଼ ବୟାନ ଦେଲେ କଂଗ୍ରେସ ବିଧାୟକ
ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଦିଲ୍ଲୀରେ ଓଡ଼ିଶା ଦଖଲ ପାଇଁ କରୁଛନ୍ତି ପ୍ରସ୍ତୁତି। ଅନ୍ୟପଟେ ଦେଶର ସବୁଠି ଚର୍ଚ୍ଚାରେ ରହୁଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଲଗାତାର ୬ଷ୍ଠ ଥର ପାଇଁ ବିଜୟ ମୁକୁଟ ପିନ୍ଧିବା ପାଇଁ ଆପଣାଇଛି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ତାରା ବାହିନୀପତି ବଡ଼ ବୟାନ ଦେଇଛନ୍ତି।
ତାରା ବାହିନୀପତି କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ୬୦ରୁ ୭୦ ଟିକେଟ ଫାଇନାଲ ହୋଇସାରିଛି। ୯ ଜଣ ବିଧାୟକଙ୍କୁ ଟିକେଟ ମିଳିବା ନିଶ୍ଚିତ ହୋଇଛି। ସବୁଠୁ ବଡ କଥା ହେଉଛି, ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଆଗୁଆ ଟିକେଟ ଦେବ। ଆସନ୍ତା ଫେବ୍ରୁଆରୀରେ କଂଗ୍ରେସ ଆଗୁଆ ଟିକେଟ ଦେବ ବୋଲି କହିଛନ୍ତି ତାରା ବାହିନୀପତି। ଆସନ୍ତା ଫେବ୍ରୁଆରୀରେ ରାହୁଲ ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସର ଅନେକ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସିବେ।
ଭାରତ ଯୋଡ ନ୍ୟାୟ ଯାତ୍ରାରେ କଂଗ୍ରେସର ହେଭିୱେଟ ଚେହେରା ଓଡ଼ିଶା ଆସିବେ। ଗତ ନିର୍ବାଚନରେ ଅନେକ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ କମ ଭୋଟରେ ପରାଜିତ ହୋଇଥିଲେ। ତେଣୁ ଏଥର ସର୍ଭେ ଅନୁଯାୟୀ ଟିକେଟ ବଣ୍ଟନ ହେବ ବୋଲି କହିଛନ୍ତି ତାରା। ଏହାସହ ନିର୍ବାଚନ ପୂର୍ବରୁ ଅନେକ ବଡ ଚେହେରା କଂଗ୍ରେସର ହାତ ଧରିବେ। ଏନେଇ ଅନେକ ନେତା ଯୋଗାଯୋଗରେ ଥିବା ତାରା ବାହିନୀପତି କହିଛନ୍ତି।