ରାଜ୍ୟରେ ନିବେଶର ନୂଆଯୁଗ; ୭ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ୧୪ ପ୍ରକଳ୍ପ
ଓଏଲ୍ ବ୍ୟୁରୋ: ପୁଞ୍ଜିନିବେଶ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କଲା ଓଡ଼ିଶା। ୧୨୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୧୭୧୩ ଦଶମିକ ୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଧାତବ କ୍ଷେତ୍ର ଉପରେ ନିର୍ଭର କରୁଥିବା ଆନୁଷଙ୍ଗିକ ଶିଳ୍ପ, ଶକ୍ତି, ଔଷଧ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକଳ୍ପକୁ ସବୁଜ ସଙ୍କେତ ଦିଆଯାଇଛି। ଏହାଦ୍ବାରା ୫ ହଜାର ୧୩୪ ନିଯୁକ୍ତି ସୃଷ୍ଟି ସମ୍ଭାବନାଥିବାବେଳେ ୭ଟି ଜିଲ୍ଲାର ଅର୍ଥନୈତିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ରହିବ। ଯାଜପୁରରେ ନିଓ ଇଣ୍ଡଷ୍ଟ୍ରିକ୍ ମେଟାଲ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡର ୭୨ କୋଟି ଟଙ୍କାର ପ୍ରକଳ୍ପ ସହିତ ରାଜ୍ୟରେ ଇସ୍ପାତ ଆନୁଷଙ୍ଗିକ ଉଦ୍ୟୋଗ କ୍ଷେତ୍ରରେ ବୃଦ୍ଧି ଘଟିବାକୁ ଯାଉଛି।
ଦୁଇଟି ପର୍ଯ୍ୟାୟରେ ୧୬ ହଜାର ୟୁନିଟ୍ କ୍ଷମତା ବିଶିଷ୍ଟ ଇସ୍ପାତ ୟୁନିଟ୍ ପାଇଁ କ୍ରୋମ ପ୍ଲେଟିଂ, ଗ୍ରାଇଣ୍ଡିଂ ଓ ଟେକ୍ଟରି” କରାଯିବ । ଏହା ୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଷ୍ଟେନଲେସ୍ ଷ୍ଟିଲ୍ ଆଣ୍ଡ ଫେରୋ ଆଲଏଜ୍ କ୍ଷେତ୍ରରେ ‘ଆନନ୍ଦ ଏକ୍ସପୋର୍ଟ ଯାଜପୁରରେ ଏହାର ବ୍ୟାପକ ସମ୍ପ୍ରସାରଣ ପାଇଁ ପଦକ୍ଷେପ ନେଇଛି। ଏହାଦ୍ବାରା ୨ ହଜାର ୮୨୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଯାଜପୁରର କଳିଙ୍ଗ ନଗରରେ ଆସୋକା ସ୍କାଏ ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ମେଟାଲ୍ ଡାଉନଷ୍ଟ୍ରିମ୍ ୟୁନିଟ୍ ସ୍ଥାପନ କରିବାକୁ ଯାଉଛି।