ଏଣିକି ୨୦ ମିନିଟରେ ସମୁଦ୍ର ପାର, ସେତୁରେ ଗଡ଼ିବନି ଏହି ସବୁ ଗାଡ଼ି
![](https://www.odishalink.com/wp-content/uploads/2024/01/ATAL-SETU--750x430.png)
ଓଏଲ୍ ବ୍ୟୁରୋ: ଲୋକାର୍ପିତ ହେଲା ଭାରତର ଦୀର୍ଘତମ ସମୁଦ୍ର ସେତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଟଳ ସେତୁର ଲୋକାର୍ପଣ କରିଛନ୍ତି। ଏହା ମୁମ୍ବାଇ ଓ ନଭି ମୁମ୍ବାଇକୁ ସଂଯୋଗ କରୁଛି। ଏହି ସେତୁର ଲମ୍ବ ୨୧.୮ କିଲୋମିଟର। ଏଥିରୁ ୧୬.୫ କିଲୋମିଟର ସମୁଦ୍ର ଉପରେ ରହିଛି। ବାକି ଅଂଶ ଭୂମି ଉପରେ ରହିଛି। ସବୁଠୁ ବଡ଼କଥା ହେଲା ଅଟଳ ସେତୁ ଯୋଗୁ ଟ୍ରାଫିକ୍ ସମସ୍ୟା ଦୂର ହେବ।
ଅଟଳ ସେତୁ ମୁମ୍ବାଇର ସେୱରୀରୁ ବାହାରି ରାୟଗଡ଼ ଜିଲ୍ଲାର ଦହୱା ଶେୱାରେ ଶେଷ ହୋଇଛି। ଏହି ସେତୁରେ ୬ଟି ଲେନ୍ ରହିଛି। ଏହାକୁ ନିର୍ମାଣ କରିବାକୁ ୧୭, ୮୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ସେତୁ ଭାରତୀୟ ଇଞ୍ଚିନିୟରିଂର ଏକ ବଳିଷ୍ଠ ଉଦାହରଣ। ଅଟଳ ସେତୁ ଯୋଗୁ ମୁମ୍ବାଇ-ନଭି ମୁମ୍ବାଇ ମଧ୍ୟରେ ଯା’ଆସ କରିବାର ସମୟ ହ୍ରାସ ପାଇଯିବ। ପୂର୍ବରୁ ମୁମ୍ବାଇରୁ ନଭି ମୁମ୍ବାଇକୁ ୨ ଘଣ୍ଟା ଲାଗୁଥିବା ବେଳେ ଏବେ ୧୫ରୁ ୨୦ ମିନିଟ୍ ଲାଗିବ।
ଅଟଳ ସେତୁରେ କେଉଁ ଗାଡ଼ି ଗଡ଼ିବ ?
ଅଟଳ ସେତୁ ଉପରେ ସମସ୍ତ ପ୍ରକାର ଗାଡ଼ି ଚଳାଚଳ କରିପାରିବ ନାହିଁ। ମୋଟର ସାଇକେଲ, ମୋପେଡ୍, ତିନି ଚକିଆ ଯାନ, ଟ୍ରାକ୍ଟର ଓ ପ୍ରାଣୀଧନଙ୍କୁ ନେଇ ଯାଉଥିବା ଗାଡ଼ି ତଥା ଧିମା ଗତିରେ ଚାଲୁଥିବା ଗାଡ଼ିଗୁଡ଼ିକ ଏହା ଉପରେ ଚାଲି ପାରିବ ନାହିଁ।
ଗାଡ଼ିଗୁଡ଼ିକର ବେଗ କେତେ ରହିବ?
ଅଟଳ ସେତୁ ଉପରେ କାର, ଟ୍ୟାକ୍ସି, ହାଲୁକା ମୋଟର ଯାନ, ମିନି ବସ୍ ଓ ଟୁ ଏକ୍ସେଲ ବସ୍ ଗୁଡ଼ିକ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଯାଇପାରିବେ। ସେତୁରେ ପ୍ରବେଶ କରିବା ତଥା ସେତୁରୁ ବାହାରିବା ବେଳେ ଗାଡ଼ିର ବେଗ ଘଣ୍ଟା ପ୍ରତି ୪୦ କିମି ରଖିବାକୁ କୁହାଯାଇଛି। ନଚେତ୍ ତଣ୍ଡ ଗଣିବାକୁ ପଡ଼ିବ ବୋଲି କୁହାଯାଇଛି।
ଟୋଲ୍କୁ ନେଇ ବିବାଦ:
ଏହି ସେତୁରେ ଯାତ୍ରା କରିବା ପାଇଁ ଯେଉଁ ଟୋଲ୍ ଆଦାୟ କରିବାକୁ ସ୍ଥିର କରାଯାଇଛି, ତାକୁ ନେଇ ବିବାଦ ଦେଖାଯାଇଛି। ଗୋଟିଏ କାର୍ ଏହି ବ୍ରିଜ୍ରେ ଥରେ ଅତିକ୍ରମ କଲେ ଟୋଲ ବାବଦକୁ ୨୫୦ ଟଙ୍କା ଦେବ। ଯଦି ଉକ୍ତ କାର ସେହି ବ୍ରିଜ୍ରେ ପୁଣି ଫେରିବ ବା ରିଟର୍ଣ୍ଣ ଜର୍ଣ୍ଣି କରିବ, ତା’ହେଲେ ୩୭୫ ଟଙ୍କା ଦେବ। ଏହାକୁ ବିରୋଧୀ ଦଳ ଗୁଡ଼ିକ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନିକ ଅଧିକାରୀମାନେ ଯୁକ୍ତି ବାଢ଼ିଛନ୍ତି ଯେ ଏହି ସେତୁ ଦେଇ ଯା’ଆସ କଲେ ତେଲ ଖର୍ଚ୍ଚ ବଞ୍ଚିବ। ଗୋଟିଏ ଥର ଏ ସେତୁ ଦେଇ ଗଲେ ୫୦୦ ଟଙ୍କା ବଞ୍ଚିବ।