ଆଉ ଦିନକ ପରେ ଲୋକାର୍ପଣ ହେବ ପରିକ୍ରମା ପ୍ରକଳ୍ପ; ସ୍ଥିତି ଅନୁଧ୍ୟାନ କଲେ ଡିଜିପି

ଓଏଲ୍ ବ୍ୟୁରୋ: ରୂପାନ୍ତରଣର ସ୍ପର୍ଶରେ ସଜେଇ ହେଉଛି ଶ୍ରୀକ୍ଷେତ୍ର। ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଡିଜିପି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସୁରକ୍ଷା ଅନୁଧ୍ୟାନ କଲେ। ଯଜ୍ଞ ସ୍ଥଳ, ଶ୍ରୀସେତୁ, ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭରେ ସ୍ଥିତି ସମୀକ୍ଷା କରାଯାଇଛି। ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ଏସ୍ପି କେ. ବିଶାଲ ସିଂହ ଉପସ୍ଥିତ ରହିଛନ୍ତି।
ଅନ୍ୟପଟେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଅଙ୍କୁର ପୂଜନ ପରେ ଆଜିଠାରୁ ଆରମ୍ଭ ହୋଇଛି ମହାଯଜ୍ଞ। ଶ୍ରୀମନ୍ଦିର ଚାରିଦ୍ୱାର ଋଗ, ସାମ, ଯର୍ଜୁ ଓ ଅଥର୍ବ ବେଦ ମନ୍ତ୍ରରେ ପ୍ରକମ୍ପିତ ହୋଇଛି। ନିର୍ଦ୍ଦାରିତ କାର୍ଯ୍ୟସୂଚୀ ଅନୁସାରେ ଶ୍ରୀକ୍ଷେତ୍ରରେ ମହାଯଜ୍ଞର ଶୁଭାରମ୍ଭ ହୋଇଛି। ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମହାଯଜ୍ଞର ଶୁଭାରମ୍ଭ ଓ ପଞ୍ଚକର୍ମ। ଅପରାହ୍ନ ୩ଟାରେ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରାଯିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଯଜ୍ଞ ଲାଗି ପୂଜାର୍ଚ୍ଚନା ଚାଲିଛି।
ପରିକ୍ରମା ପ୍ରକଳ୍ପକୁ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରତିକ୍ରିୟା ରଖିଛନ୍ତି। ଆଜି ଠାରୁ ବାହାର ରାଜ୍ୟର ଅତିଥି ଆସିବେ। ଉତ୍ତର ପାର୍ଶ୍ଵ ମଠରେ ଅଡିଟୋରିୟମ ପ୍ରସ୍ତୁତ ହୋଇଛି। ଶ୍ରୀ ସେତୁ ଓ ଶ୍ରୀ ମାର୍ଗର ପରୀକ୍ଷଣ ଅଧିକାରୀଙ୍କ ଉପସ୍ଥିତିରେ କରାଯାଇଛି। ଆଜି ଠାରୁ ତିନି ଦିନ ବ୍ୟାପୀ ଯଜ୍ଞ ଆରମ୍ଭ ହେଉଛି। ଯାତ୍ରୀ ପରିକ୍ରମା ପ୍ରକଳ୍ପ କାମ ଶେଷ ହୋଇଛି ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।